Banner Before Header

୨୦୦୮…ଧର୍ମ ନିରପେକ୍ଷତା, ବିଜେପି-ବିଜେଡି ମେଣ୍ଟ !

61

Get real time updates directly on you device, subscribe now.

ପୁନର୍ମିଳନ ହେବ ? ପୁଣି କୋଳାକୋଳି ହେବେ ? ୨୦୨୪ରେ, ଭାରତୀୟ ଲୋକତନ୍ତ୍ରର ସବୁଠୁ ବଡ଼ ଯେଉଁ ଗଣ ଉତ୍ସବ; ସେଥିରେ ଯୁଗଳବନ୍ଦୀଭାବେ ମୈଦାନକୁ ଓହ୍ଲାଇବେ କି ବିଜେପି-ବିଜେଡି  ? ୨ ଦଳ ଭିତରେ ମେଣ୍ଟ ହେବ ? ୧୬ବର୍ଷ ପରେ ଷୋହଳ ଶୃଙ୍ଗାରରେ ପଦ୍ମ ଓ ଶଙ୍ଖ ସଜେଇ ହେବେ ବୋଲି ସୋସିଆଲ ମିଡିଆରେ ବ୍ରେକିଂ ନ୍ୟୁଜ ହୋଇ ଟ୍ରେଣ୍ଡ କରୁଛି।  ତେବେ ମେଣ୍ଟ ହେଉ ବା ନ ହେଉ; ହେବ କି ନହେବ, ତାହା ତ ସମୟ କହିବ। କିନ୍ତୁ ଏ ସମୟ ଯେଉଁ କଥା ମନେ ପକାଇ ଦେଇଛି, ତାହା ହେଉଛି ଧର୍ମନିରପେକ୍ଷତା।

କାରଣ ବିଜେପିର ଲାଲକୃଷ୍ଣ ଆଡ଼ଭାନୀ, ପ୍ରମୋଦ ମହାଜନଙ୍କ ଭଳି ତୁଙ୍ଗ ନେତାଙ୍କ ‘ବ୍ରେନ୍‌ ଚାଇଲ୍‌ଡ’ ବିଜେଡି, ଆଉ ବିଜେଡି; ଯେଉଁ ବିଜେପିର ହାତ ଧରି ସରକାର ଗଢ଼ିଥିଲା, ପାଖାପାଖି ୮ବର୍ଷ ପରେ ସେଇ ବିଜେପିକୁ ଗୁଡବାୟ କହିଥିଲା। ମେଣ୍ଟ ଭାଙ୍ଗି ଦେଇଥିଲା। ୟା’ ପଛର କାରଣ ଥିଲା ଧର୍ମନିରପେକ୍ଷତା, ଆଉ ଏଇ ଧର୍ମନିରପେକ୍ଷତା ଶବ୍ଦ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବୀଭତ୍ସ ହତ୍ୟା ସହ ସଂଯୋଗ କରି ରାଜନୈତିକ ପ୍ରୟୋଗ କରିଥିଲା ବିଜେଡି।

ମନେପକାନ୍ତୁ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ। ଯେବେ କନ୍ଧମାଳର ବାଲିଗୁଡ଼ାରେ ଥିବା ଜଲେଶପେଟା ଆଶ୍ରମରେ ୪ ସହଯୋଗୀଙ୍କ ସହ ସ୍ମାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ପରେ  ଗୁଳି ମାରି ହତ୍ୟା କରାଯାଇଥିଲା। ତା’ପରର ଟ୍ରାଜେଡି କେମିତି ଥିଲା, ତାହା କେବଳ ରାଜ୍ୟ ନୁହଁ, ଦେଶ ନୁହଁ; ତମାମ୍‌ ବିଶ୍ବ ଦେଖିଥିଲା। ବଦନାମ ହୋଇଥିଲା ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶା।

ସାଇଡ ଇଫେକ୍ଟ ତ ଦେଖନ୍ତୁ, କନ୍ଧମାଳରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ହାହାକାର,  ଆତଙ୍କର ଆଁ ଭିତରେ କଲବଲ ହୋଇଥିଲା କନ୍ଧମାଳ; ଯାହାର  ଗୋଟେ ଗୋଟେ ଚିତ୍ର ଆପଣଙ୍କ ସାମ୍ନାରେ…..

ଜଣେ କି ୨ଜଣ ନୁହଁ, ହତ୍ୟାର ପରବର୍ତୀ ପ୍ରତିଶୋଧ, ପ୍ରତିହିଂସା ନିଆଁରେ ଅନେକଙ୍କ ଜୀବନ ଯାଇଥିଲା। ୩୯ ଜଣ ନିରୀହଙ୍କୁ ଜୀବନ ଦେବାକୁ ପଡ଼ିଥିଲା।

ଗୋଟେ କି ୨ଟା ନୁହଁ; ଶହେ କି ହଜାରେ ନୁହଁ; ୪ ହଜାର ୮୨୧ ଘର ନିଆଁକୁ ସ୍ବାହା କରିଦିଆଯାଇଥିଲା।

ଗୋଟିଗୋଟି କରି ୨୨୯ଟି ଧର୍ମାନୁଷ୍ଠାନକୁ ଧୂଳିସାତ୍‌ ହେବାକୁ ପଡ଼ିଲା।

ମନେପକାନ୍ତୁ, ଏକଥା ବି, ସେତେବେଳେ କ’ଣ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; Each and Every bone of my body is Secular, ମାନେ ଷୋଳଅଣା ସେ ସେକୁଲାର, ଧର୍ମନିରପେକ୍ଷ। ଏଇ ଧର୍ମନିରପେକ୍ଷତାକୁ ବ୍ରାଣ୍ଡ କରି ବିଜେପିଠୁ ଦୂରେଇ ଯାଇଥିଲେ।  । କାରଣଭାବେ ରାଜ୍ୟବାସୀଙ୍କୁ ଏୟା ବୁଝାଇ ଦେଇଥିଲେ କି, କନ୍ଧମାଳରେ ଇସାଈ ବିରୋଧୀ ଦଙ୍ଗା ତାଙ୍କୁ ବହୁତ କଷ୍ଟ ଦେଇଛି, ଆଉ ଏ ଦଙ୍ଗା ବିଜେପି- ଆର.ଏସ୍‍.ଏସ୍‍. ପ୍ରାୟୋଜିତ ବୋଲି ଅଭିଯୋଗ କରିଥିଲେ  ଏବଂ ୨୦୦୯ ନିର୍ବାଚନ ଆଗରୁ ବିଜେପି ସହ ସମ୍ପର୍କ ତୁଟାଇ ଅଲଗା ହୋଇଯାଇଥିଲେ ନବୀନ ପଟ୍ଟନାୟକ। 

୨୦୦୯ ନିର୍ବାଚନ  ପରେ ବିଜେପିର ସର୍ବନାଶ ଏବଂ ବିଜେଡିର ପୁଷମାସ ଆସିଯାଇଥିଲା।  ୨/୨ଟା ତଦନ୍ତ କମିଶନ ବସିଲା। ପ୍ରଥମେ ଜଷ୍ଟିସ୍‌ ଶରତଚନ୍ଦ୍ର ମହାପାତ୍ର। ପରେ ଏ.ଏସ୍‌. ନାଇଡୁ ତଦନ୍ତ କଲେ। ତଦନ୍ତକୁ ସମୟ ଲାଗିଲା ୭ବର୍ଷ। ଆଉ ୩୮ ଅଭିଯୁକ୍ତଙ୍କ ପାଇଁ ୭ଶହରୁ ଅଧିକ ଲୋକଙ୍କ ସତ୍ୟପାଠ, ୬୫ ସରକାରୀ ଏବଂ ୧୦୦ ବେସରକାରୀ ସାକ୍ଷ୍ୟ ଗ୍ରହଣ ପରେ ୨୦୧୫ରେ ସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରିଥିଲେ କମିଶନ। କିନ୍ତୁ ସେ ରିପୋର୍ଟ ଏବେ ବି ଶୀତଳ ଭଣ୍ଡାରରେ ପଡ଼ିରହିଛି, ବିରୋଧୀଙ୍କ ଦାବି ସତ୍ବେ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇ ପାରିନାହିଁ। ପୂରା ଘଟଣାପଛରେ ଯେଉଁମାନଙ୍କର ହାତ ଥିଲା ବୋଲି ସନ୍ଦେହ କରାଯାଉଛି, ସେଇମାନଙ୍କୁ ପକ୍ଷଭୁକ୍ତ କରି ଏହାର ସିବିଆଇ ତଦନ୍ତ ଦାବିରେ ପୂର୍ବ ରାଜ୍ୟପାଳଙ୍କ ପାଖରେ ଗୁହାରି କରିଥିଲେ ଓଡ଼ିଶା ସତ୍ୟ ସନାତନ ପ୍ରଜା ସମିତି।

ତେବେ ମୂଳ ଓ ମଞ୍ଜ କଥା ଏୟା କି, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ ଯେଉଁ ଧର୍ମନିରପେକ୍ଷତା ଆଳରେ ବିଜେଡି-ବିଜେପିର ମଧୁଚନ୍ଦ୍ରିକା, କାଳରାତି ପାଲଟି ଯାଇଥିଲା, ୮ବର୍ଷର ଲିଭ୍‌ ଇନ ରିଲେସନଶିପ୍‌ ବ୍ରେକ୍‌ ଅପ୍‌ ହୋଇଯାଇଥିଲା; ଏବେ ଆରିଥମେଟିକ ପାଇଁ କେମେଷ୍ଟ୍ରି ବଦଳୁଛି କେମିତି ? କାରଣ ସମୟ ବଦଳି ଯାଇଛି, ଆଉ ଏ ସମୟ ଯାହା କହୁଛି, ତା’ହେଲା ବିଜେପିର ପୁଷମାସ ଆସୁଛି। ବିଜେପିର ବେଳା ଭଲ ଚାଲିଛି।

୨୦୧୯ ନିର୍ବାଚନ ପରେ ବିଜେପି ରାଜ୍ୟର ମୁଖ୍ୟ ବିରୋଧୀଦଳଭାବେ ନିଜ ଅସ୍ତିତ୍ବ ଜାହିର କରିପାରିଛି। ସେପଟେ ଦିଲ୍ଲୀରେ କେନ୍ଦ୍ର ସରକାର ଯାହା ବି ବିଲ୍‍ ଆଣିଛନ୍ତି, ଆଖି ବୁଜି ସମର୍ଥନ କରି ଆସୁଛି ବିଜେ଼ଡି। ଆଉ ୨୦୨୪ ଆଗରୁ ଯେତେବେଳେ ବିଜେପି-ବିଜେଡି ମେଣ୍ଟ କଥା ଚର୍ଚ୍ଚାରେ ରହିଛି, ସେତେବେଳେ ଧର୍ମ ନିରପେକ୍ଷତା ଶବ୍ଦ ମନେ ପଡୁନି କାହିଁକି ?  କାହିଁକି ମନେ ପଡୁନି, Secular Bones….??

ମେଣ୍ଟ ହେଉ ବା ନ ହେଉ, ସେ ନେଇ ନାକ ପୂରାଇବାର ନାହିଁ। କିନ୍ତୁ ୧୬ବର୍ଷ ତଳର ଯେଉଁ ଧର୍ମନିରପେକ୍ଷତା; ସେ ଶବ୍ଦର ଅର୍ଥ କିଏ ବୁଝାଇବ ? କିଏ ଗ୍ୟାରେଣ୍ଟି ଦେବ, ପୁଣି  ଯେ କଡ଼  ଲେଉଟାଇବ ନାହିଁ  ୨୦୦୮ ମସିହା ଅଗଷ୍ଟ ୨୩ ତାରିଖର ସେ ରକ୍ତରଞ୍ଜିତ  ଜନ୍ମାଷ୍ଟମୀ। ଏ ସମ୍ଭାବ୍ୟ ମେଣ୍ଟ ପରେ ସେଇ ଲୋକମାନେ କ’ଣ ଭୁଲିପାରିବେ, ସେଇ ଲୋକମାନେ କ’ଣ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବିଜେ଼ଡି ସରକାରକୁ ବିଶ୍ବାସ କରିପାରିବେ; ଯେଊଁମାନେ ୨୦୦୮ରେ ସବୁକିଛି ହରାଇଛନ୍ତି।  

Get real time updates directly on you device, subscribe now.

Comments are closed.